( ) କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା।
କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ଜଓ୍ୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗଙ୍କ ପୁର୍ବାନୁମାନ ଅନୁସାରେ କୃଷକମାନଙ୍କୁ ପାଚିଲା ଶସ୍ୟ ଓ ଉଦ୍ୟାନଜାତ ଦ୍ରବ୍ୟ କ୍ଷେତରୁ ଆଣି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା । କୃଷକମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ । ଏତେ କମ୍ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ୍ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବ ହୋଇନଥିଲା ।ଆଲୋଚନାରୁ ଜଣାପଡ଼ିଥିଲା ଯେ ପ୍ରାଥମିକ ଆଖି ଦେଖା ଆକଳନ ଅନୁସାରେ ୧୨ ଟି ଜିଲ୍ଲା ଅନ୍ତର୍ଗତ ୧୩୧ ଟି ବ୍ଲକ୍ରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ୍ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ । ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ ୭ ଦିନ ମଧ୍ୟରେ ସରିଯିବ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ।ଖରିଫ ଫସଲ ପାଚିବା ସମୟରେ ଏହି ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି ବୋଲି କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ କହିଥିଲେ । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ନିମନ୍ତେ ମଞ୍ଜି ବୁଣିବାରୁ ବଂଚିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ଜେନା କହିଥିଲେ । ୬ ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସି ଗଂଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାସହ ଚାଷୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ । ବି.ଦ୍ର.- ସବିଶେଷ ସୂଚନା ପାଇଁ ଦୟାକରି ଇଂରାଜୀ ପ୍ରେସ୍ ରିଲିଜ୍ ଦେଖନ୍ତୁ ।