ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…

- Advertisement -

{} ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା।

ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ପ୍ରକଳ୍ପ ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ।

ପର୍ଯ୍ୟଟନସ୍ଥଳୀ ପରିଚାଳନାରେ ସମସ୍ତ ଷ୍ଟେକ୍-ହୋଲଡରଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ।

() ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ଯ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଏହି ସବୁ ସ୍ଥାନରେ ପର୍ଯ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପ୍ରକଳ୍ପଗୁଡିକର ସଦ୍ୟତନ ସ୍ଥିତି ସମୀକ୍ଷାକରି ପୁର୍ତ୍ତବିଭାଗ ମାଧ୍ୟମରେ ସେଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପୁର୍ତ୍ତ ବିଭାଗଙ୍କୁ କୁହାଯାଇଥିଲା । ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ଯ୍ୟଟନ ସଂପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଷ୍ଟେକ୍-ହୋଲଡ୍ରମାନଙ୍କୁ ସାମିଲକରି ସ୍ଥାନୀୟ କମିଟି ଗଠନ କରାହେବ । ଏହି କାର୍ଯ୍ୟରେ ଯଥା ସମ୍ଭବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସଂପୃକ୍ତ ଅଂଚଳରେ ନୂତନ ଜିବୀକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ ।  ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଭିତରକନିକାର ୪ ଟି ମୁଖ୍ୟ ଜୋନ୍ରେ ପର୍ଯ୍ୟଟନ ସୁବିଧା ସୃଷ୍ଟି କରାଯିବ । ଏଗୁଡିକ ହେଲା ଡାଙ୍ଗମାଳ, ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି । ପ୍ରାଥମିକ ଭିତ୍ତିଭୂମି ଭାବେ ଆଗମନ ଓ ଆତିଥ୍ୟ କେନ୍ଦ୍ର, ରହଣୀ-କଟେଜ୍, ବନ୍ୟଜନ୍ତୁ ନିରୀକ୍ଷଣ ସୁବିଧା, ବାଖ୍ୟାନ କେନ୍ଦ୍ର, ଶୌଚାଳୟ ଗାଡ଼ି ପାର୍କିଂ ସ୍ଥାନ ଓ ଜେଟ୍ଟି ଆଦି ସ୍ଥାପନ କରାଯିବ । ତିନିଟି ପର୍ଯ୍ୟାୟରେ ବିଭିନ୍ନ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟ କରାଯିବ । ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ଭିତ୍ତିଭୂମି ପାଇଁ ପ୍ରାୟ ୪୬.୨୩ କୋଟି ଟଙ୍କା ବିନିଯୋଗ କରାଯିବ । ଗୁପ୍ତି, ଖୋଳା ଏବଂ କସ୍ତୁରୀକଣ ଠାରେ ପର୍ଯ୍ୟଟନ ପ୍ରକଳ୍ପପାଇଁ ଜମି ଅଧିଗ୍ରହଣ ଓ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଇଡ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରାପଡାର ଜିଲ୍ଲାପାଳ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ତଥ୍ୟ ସହ ଉପଯୁକ୍ତ ଭିତ୍ତିଭୂମି ସଂପର୍କିତ ପରାମର୍ଶ ଦେଇଥିଲେ । ସେହିପରି ଚନ୍ଦ୍ରଭାଗାଠାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ ହେବ । ବରଗଡ଼ ଜିଲ୍ଲାର ନୃସିଂହନାଥ ଏବଂ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପୀଠରେ ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ୪୬ କୋଟି ଟଙ୍କା ବିନିଯୋଗ କରାହେବ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ରସିଂ ପୁନିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles