() ଜୀବନଟା ପାଣି ଫୁଟକା, କେତେବେଳେ ଫୁଟିଯିବ କିଏ ବା ଜାଣେ l ଥରେ ନିଶ୍ବାସ ନେଲେ ଆଉ ଫେରିବକି ନାହିଁ ତାହା ଉପରେ କାହାର ବିଶ୍ୱାସ ନାହିଁ l ସବୁ କିଛି ଭଗବାନଙ୍କ ଇଚ୍ଛାରେ ଚାଲିଛି l ମଣିଷ ଚାହିଁଲେ ମୂଲ୍ୟବାନ ଜୀବନକୁ ସାର୍ଥକ କରିପାରିବ ,ନିଜ କର୍ମର ତୂଳୀରେ ଜୀବନକୁ ରଙ୍ଗୀନ କରିହେବ ,ଆଉ ତାହାରି ଭିତରେ ଜୀବନର ରଙ୍ଗୀନ ଦୀପ ଦିନେ ଲିଭିଯିବ l କିନ୍ତୁ କାହିଁକି ଆଜିର ସାମାଜିକ ଜୀବନରେ ସତ୍ୟକୁ ସମସ୍ତେ ଜାଣି ମଧ୍ୟ ମାତ୍ର ୧୦ପ୍ରତିଶତ ଲୋକଙ୍କୁ ଛାଡିଦେଲେ ଅଧିକାଂଶ ଲୋକଙ୍କ ଜୀବନରେ ଅତ୍ୟଧିକ ଭାଵନା ଓ ଚିନ୍ତା ? କଣ ଠିକ୍ ଓ କଣ ଭୁଲ୍ ବିଚାର କରିବାର ଶକ୍ତି ଭଗବାନ କେବଳ ମଣିଷକୁ ଦେଇଛନ୍ତି l ହେଲେ ତାହା କାହିଁକି ଆଜି ଜୀବନପାଇଁ ଫିକା ପଡ଼ିଯାଇଛି l ଜନ୍ମ ଠାରୁ ମରଣ ଯାଏ କର୍ମ କରିବା ଅପେକ୍ଷା ଭାବିଭାବି ଅନେକ ମୂଲ୍ୟବାନ ଜୀବନ ଚାଲିଯାଇଛି l ଜୀବନମାନେ ଅନେକ ଘଟଣା ଓ ଦୁର୍ଘଟଣା ,ହେଲେ ତାକୁ ନେଇ ଏତେ ଭାବିବା କାହିଁକି ? ଯାହା ହେବାର ଥିବ ହେବ l ଚାଲ କିଛି ନଭାବି ଜୀବନକୁ ସୁଖରେ ଓ ଶାନ୍ତିରେ କଟାଇବା l ଦେଖିବେ ଜୀବନ ସବୁବେଳେ ସୁନ୍ଦର ଥିଲା , ଅଛି ଓ ରହିବ l ତେଣୁ ଏତେ କଣ ଭାବିବା ମ !
ଏମିତି ଅନେକ କଥା ୪ଜଣ ସାଙ୍ଗ ଗାଁ ବନ୍ଧ ଉପରେ ବସି ଆଲୋଚନା କରୁଥିଲେ l କଥାରେ ଏତେ ମାତ୍ରାରେ ମଜି ଯାଇଥିଲେ ଯେ କେତେବେଳେ ସଂଧ୍ୟା ହୋଇଗଲା ଜାଣିପାରିଲେ ନାହିଁ l ଆଉ କିଛି କଥା ଆରମ୍ଭ ପୁର୍ବରୁ ମୌସୁମୀ ବର୍ଷା କେଉଁଠି ଥିଲା ହଠାତ୍ ଅସରାୟ ହୋଇଗଲା l ସେହି ବର୍ଷା ପାଣିରେ ଧୋଇଗଲା ୪ ଜଣ ସାଙ୍ଗଙ୍କର ଭାବନା ଓ ଆଲୋଚନା l ଏଥିରୁ ଜାଣିବାକୁ ହେଲା ଯେଉଁ ଜିନିଷ ପ୍ରକୃତି ହାତରେ ଥାଏ ତାହା ମଣିଷ ଭାବନାରେ କେବେ ସମ୍ଭବ ନୁହେଁ l ତେଣୁ ମଣିଷ ସାମୟିକ କର୍ତ୍ତବ୍ୟ ମନର କଳ୍ପନା ଓ ଭାବନା ଅପେକ୍ଷା ଶ୍ରେଷ୍ଠ………